ଦ କୁଇଭର ବ୍ୟୁରୋ :- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ବିଭିନ୍ନ ନଦୀ, ପୋଖରୀ, ଜଳାଶୟରେ ଭାସିଛି ଡଙ୍ଗା । ଆ-କା-ମା-ବୈରେ ଗୁଞ୍ଜରିତ ହୋଇଛି ନଦୀପଠା ଓ ଜଳାଶୟ । ଭୋରରୁ ଉଠି ଶ୍ରଦ୍ଧାଳୁ ମାନେ ଡଙ୍ଗା ଭସାଇଛନ୍ତି । ହୁଳହୁଳିରେ ପ୍ରକମ୍ପିତ ହୋଇଛି ଚର୍ତୁଃଦିଗ । ସେହିପରି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହୋଦଧିରେ ବୁଡ଼ ପକାଇବା ପାଇଁ ବଡ଼ି ଭୋରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଛି । ଆଜି ଭୋରରୁ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ କରିବା ସହ କଦଳୀ ପଟୁକାରେ ତିଆରି ଡଙ୍ଗାରେ ପାନ, ଗୁଆ, ଫୁଲ ଥୋଇ ଭସାଇଛନ୍ତି । ଏହାସହ ଆ-କା-ମା-ବୈ, ପାନ ଗୁଆ ଥୋଇରେ ଗୁଞ୍ଜରିତ ହୋଇଛି ସମଗ୍ର ବେଳାଭୂମି । ନିଜ ପରିବାର ତଥା ସାଙ୍ଗସାଥୀଙ୍କ ସହ ଲୋକେ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧି ତଟକୁ ଆସି ଡଙ୍ଗା ଭସାଇଥିଲେ ।






